ସ୍ୱାମୀ ସର୍ବଶ୍ରେଷ୍ଠ ଭୂଷଣ, ସବୁଠାରୁ ମୂଲ୍ୟବାନ ଅଳଙ୍କାର । ସ୍ୱାମୀ ଇହକାଳ ଓ ପରକାଳର ସାଥୀ ।
ଜଣେ ମହିଳା କାୟମନୋବାକ୍ୟରେ ସ୍ୱାମୀର ମଙ୍ଗଳ କାମନା କଲେ କେହି ତାଙ୍କର ଅନିଷ୍ଟ କରିପାରନ୍ତି ନାହିଁ ।ସ୍ୱାମୀଙ୍କ ମଙ୍ଗଳ କାମନା ଓ ଦୀର୍ଘାୟୁ ପାଇଁ ସବୁ ନାରୀ ସାବିତ୍ର ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ବ୍ରତ ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୁଏ । ଏହାର ଅନ୍ୟନାମ ସାବିତ୍ରୀ ଅମାବସ୍ୟା । ଯେଉଁ ନାରୀ ପବିତ୍ର ମନରେ ଏହି ଓଷା ପାଳନ କରିଥାଏ ତା ଉପରେ ମାତା ସାବିତ୍ରୀ ସନ୍ତୁଷ୍ଟ ହୋଇଥାନ୍ତି ।
ପୌରାଣିକ ମତବାଦ ଅନୁଯାୟୀ ଏହି ବ୍ରତ ପାଳନ କରି ନାରୀ ଯୁଗେ ଯୁଗେ ସଧବା ରହନ୍ତି । ସେମାନେ ପତିବ୍ରତା ହେବା ସହ ପୁତ୍ରବତୀ, ଧନବତୀ ହେବା ସାଙ୍ଗକୁ ଅନ୍ତିମ କାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି । ଏହି ପୂଜାରେ ଦେବୀ ସାବିତ୍ରୀ, ସତ୍ୟବାନ ଓ ଯମରାଜାଙ୍କୁ ପରୋକ୍ଷରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବାର ବିଧି ରହିଛି । ସାବିତ୍ରୀ ବ୍ରତ ପାଳନର ସ୍ୱତନ୍ତ୍ରତା ହେଲା ଏହି ପୂଜାରେ ଅଗ୍ନି ଦ୍ୱାରା ସିଦ୍ଧ କୌଣସି ପଦାର୍ଥ ଠାକୁରଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇନଥାଏ । ଏଣୁ ବିଭିନ୍ନ ଫଳ, ଧୁଆ ମୁଗ ହିଁ ଏହି ପୂଜାରେ ଆବଶ୍ୟକତା ପଡ଼ିଥାଏ । ଆମ୍ବ, ପଣସ, ଖଜୁରୀ, ତାଳ, ନଡିଆ, ମୁଗ ବତୁରା, ସପୁରୀ ଆଜି ପୂଜା କରାଯାଏ । ଓଡ଼ିଆ ଘରର ବୋହୁମାନେ ପାହାନ୍ତାରୁ ଉଠି ଗାଧୁଆ ସାରି ପାଟପତନୀ ପରିଧାନ କରି ଶୁଦ୍ଧ ମନରେ ସାବିତ୍ରୀ ବ୍ରତ ପାଳନ କରନ୍ତି । ଉପବାସରେ ରୁହନ୍ତି । ପୂଜା ଶେଷରେ ଫଳ, କଂଚା ମୁଗ (ବତୁରା)କୁ ପ୍ରସାଦ ରୂପେ ସେବନ କରିଥାନ୍ତି ।
କିମ୍ବଦନ୍ତୀ ଅନୁଯାୟୀ ମଦ୍ର ରାଜ୍ୟର ରାଜା ଅଶ୍ୱପତିଙ୍କର ଅତୀବ ସୁନ୍ଦରୀ କନ୍ୟା ଥିଲେ ସାବିତ୍ରୀ । କୌଣସି ଏକ ଋଷି ଆଶ୍ରମରେ ପିତା ଦ୍ୟୁମତସେନ୍ଙ୍କ ସହିତ କାଳାତିପାତ କରୁଥିବା ସତ୍ୟବାନ ନାମକ ଏକ ରାଜକୁମାରଙ୍କୁ ଅଳ୍ପାୟୂ ଜାଣି ମଧ୍ୟ ସ୍ୱଇଚ୍ଛାରେ ପତି ରୂପେ ବରଣ କରିଥିଲେ । ପତିପ୍ରାଣା ସାବିତ୍ରୀ ସ୍ୱାମୀ ଓ ଶ୍ୱଶୁରଙ୍କ ସେବାରେ ନିଜକୁ ନିୟୋଜିତ କରିବାର କାମନା ରଖି ତାଙ୍କ ସହିତ ବନବାସୀ ହୋଇଥିଲେ ।
ଏକଦା ରନ୍ଧନ କାର୍ଯ୍ୟ ପାଇଁ ଜାଳେଣି କାଷ୍ଠର ଆବଶ୍ୟକତା ଥିଲା । ସତ୍ୟବାନ ଏକ ବୃକ୍ଷ ଆରୋହଣ କରି କାଷ୍ଠ ସଂଗ୍ରହ କରୁଥିଲେ । କିନ୍ତୁ ତତ୍କ୍ଷଣାତ୍ ଅସୁସ୍ଥତା ବଶତଃ ସେ ବୃକ୍ଷରୁ ଭୂପତିତ ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମୃତ୍ୟୁ ଦେବତା ଯମରାଜ ସତ୍ୟବାନଙ୍କର ଆତ୍ମାକୁ ନେବାକୁ ଉଦ୍ୟତ ହୁଅନ୍ତେ ସାବିତ୍ରୀ ତାଙ୍କୁ ସ୍ୱାମୀଙ୍କ ଜୀବନ ଫେରାଇ ଦେବା ପାଇଁ ବହୁ ଅନୁନୟ ବିନୟ ହୋଇ ଅନୁରୋଧ କରିଥିଲେ । ଯମରାଜ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ସତ୍ୟବାନ୍ଙ୍କ ଆତ୍ମାକୁ ନେବା ସମୟରେ ସାବିତ୍ରୀ ଯମରାଜାଙ୍କର ପଶ୍ଚାତ୍ଧାବନ କରିଥିଲେ ।
ଯମରାଜ ସାବିତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କାଳର ନିୟମକୁ ଉଲ୍ଲଘଂନ ନ କରି ସ୍ୱାମୀଙ୍କ ଜୀବନ ପ୍ରାପ୍ତି ବ୍ୟତୀତ ଅନ୍ୟ କେତୋଟି ବର ମାଗିବାକୁ କହିଥିଲେ । ତନ୍ମଧ୍ୟରୁ ସାବିତ୍ରୀ ଯମରାଜାଙ୍କୁ ପୁତ୍ରବତୀ ହେବାର ସୌଭାଗ୍ୟ ଅର୍ଜନ ନିମନ୍ତେ ଏକବର ପ୍ରାର୍ଥନା କରିଥିଲେ । ଯମରାଜା ମଧ୍ୟ ତାଙ୍କୁ ତଥାସ୍ତୁ ପ୍ରଦାନ କରିଥିଲେ । ତତ୍ପରେ ସାବିତ୍ରୀ ଯମରାଜାଙ୍କୁ ପ୍ରଶ୍ନ କରିଥିଲେ ସ୍ୱାମୀଙ୍କ ଅବର୍ତମାନରେ ଜଣେ ସତୀନାରୀ ପୁତ୍ରବତୀ ହେବ କିପରି?
ଯମରାଜାଙ୍କର ଚୈତନ୍ୟ ଉଦୟ ହୋଇଥିଲା । ନିରୁପାୟ ହୋଇ ସେ ସତ୍ୟବାନଙ୍କୁ ଜୀବନଦାନ ଦେଇ ଫେରିଯାଇଥିଲେ । ସତ୍ୟବାନଙ୍କୁ ଧରି ସାବିତ୍ରୀ ଆଶ୍ରମକୁ ଫେରି ଆସିଥିଲେ ।
ଜଣେ ସତୀ ନାରୀ ତାର ନିଷ୍ଠା ବଳରେ ମୃତ୍ୟୁଲୋକରୁ ସ୍ୱାମୀଙ୍କ ଜୀବନ ଫେରାଇ ଆଣିବା କିମ୍ବଦନ୍ତୀରୁ ସାବିତ୍ରୀ ବ୍ରତର ଆରମ୍ଭ । ତେଣୁ ଗୋଟିଏ ସୁସ୍ଥ ସମାଜ ଗଠନ ପାଇଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ଏକାନ୍ତ ଆବଶ୍ୟକ । ପତିପତ୍ନୀ ପରସ୍ପର ମଧ୍ୟରେ ସ୍ନେହ, ସୌହାର୍ଦ୍ଦ୍ୟ, ବିଶ୍ୱାସ ବୃଦ୍ଧି ସାବିତ୍ରୀ ବ୍ରତ ପାଳନର ଏକମାତ୍ର ଲକ୍ଷ୍ୟ ।