କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଯୋଗୁ ବିଶ୍ୱରେ ୨୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଦ୍ରୁତ ଗତିରେ ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ଆମେରିକା, ଇଟାଲୀ, ଫ୍ରାନ୍ସ, ବ୍ରିିଟେନ୍, ଜର୍ମାନୀ ଓ ସ୍ପେନ୍ ପରି ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପ୍ରଭାବରେ ତ୍ରସ୍ତ, ଆତଙ୍କିତ ।
କରୋନା ନିରାକରଣ ପାଇଁ କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରିନାହିଁ । ଏହି ଭୂତାଣୁର କୌଣସି ସୀମା ସରହଦ ନାହିଁ । ଏହି ମହାମାରୀରୁ ବର୍ତିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ଅସ୍ତ୍ର ।
ସେଥିପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଘରେ ରହିବା ନିତାନ୍ତ ଜରୁରୀ । ମେଡିକାଲ୍ ଏମର୍ଜେନ୍ସି ପରି ଅତି ଗୁରୁତର କାରଣ ନ ଥିଲେ ଘରୁ ନ ବାହାରିବା ପାଇଁ ସରକାର ଓ ପ୍ରଶାସନ ବାରମ୍ବାର ବାରଣ କରୁଛନ୍ତି । ଗ୍ରୋସରୀ, ପନିପରିବା, ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ଲାଇନ୍ରେ ମଗାଇବାକୁ ପରାମର୍ଶ ଦିଆଯାଇଛି । ଅଧିକାଂଶ ଲୋକେ ସଚେତନ ମଧ୍ୟ ହେଲେଣି ।
କିନ୍ତୁ କିଛି ଲୋକ ଲକ୍ଡାଉନ୍କୁ ନମାନି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି । ଘରେ ନ ରହି ବିଭିନ୍ନ ବାହାନା ଦେଖାଇ ରାସ୍ତାରେ ବୁଲୁଛନ୍ତି । ଯୁବକମାନେ ଦଳଦଳ ହୋଇ ବୁଲିବାର ପୁରୁଣା ଅଭ୍ୟାସ ଛାଡ଼ିପାରୁ ନାହାନ୍ତି । ପୁରୁଣା ପ୍ରେସକ୍ରିପସନ୍, ଚର୍ମ ରୋଗର ଆଳ ଦେଖାଇ ବାଇକ୍ରେ ବୁଲୁଛନ୍ତି । ସରକାର ଯେ ଲୋକଙ୍କ ସୁରକ୍ଷା ପାଇଁ ଲକ୍ଡାଉନ୍ କରୁଛନ୍ତି ତାହା ଅମାନିଆ ଲୋକେ ବୁଝିବାକୁ ନାରାଜ ।
ବିଶ୍ୱ ଏବେ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତିକରୁଛି । ଏବେ ସମୟ ଆସିଛି ଲକ୍ଡାଉନ୍କୁ ଆହୁରି କଡ଼ାକଡ଼ି କରିବାକୁ । ଲକ୍ଡାଉନ୍ ଉଲ୍ଲଂଘନକାରୀମାନଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗହଣ କରୁ । ସେମାନଙ୍କୁ ମାଡ଼ ଦେବା ଜରିମାନା ଦଣ୍ଡ ଦେଉ । ତାହାହେଲେ ସେମାନେ ଚେତିବେ । ଦରକାର ପଡ଼ିଲେ ସେହି ଦେଶଦ୍ରୋହୀମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ । କରୋନା ବିରୋଧୀ ଲଢ଼େଇରେ ଜିତିବା ପାଇଁ ଆମର ଏକମାତ୍ର ଅସ୍ତ୍ର ଲକ୍ଡାଉନ୍ । ଆମେ ଏହାକୁ ମାନିବା ନା ସମାଜର ଶତ୍ରୁ ହେବା?
ଏଣୁ ଲକ୍ଡାଉନ୍ ବେଳେ ସଭିଏଁ ଘରେ ରୁହନ୍ତୁ । ପରିବାର ପ୍ରିୟଜନ ସହ ସମୟ ବିତାନ୍ତୁ । ଅଧିକ ବହି ପଢ଼ନ୍ତୁ, ଗୀତ ଶୁଣନ୍ତୁ, ଡାଏରୀ ଲେଖନ୍ତୁ କିମ୍ବା ସୃଜନଶୀଳ କାର୍ଯ୍ୟରେ ମନୋନିବେଶ କରନ୍ତୁ ।
ସରକାର ଆମକୁ ଯୁଦ୍ଧକ୍ଷେତ୍ରକୁ କିମ୍ବା ସୀମାରେ ଆତଙ୍କବାଦୀମାନଙ୍କ ସହ ଲଢ଼ିବାକୁ ପଠାଉନାହାନ୍ତି । ଆମ ନିଜର ଓ ଦେଶର ହିତ ପାଇଁ କେବଳ ୨୧ ଦିନ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆମେ ସଂକ୍ରମଣ ପ୍ରସାର ନ କରି ଘରେ ରହିବା ନା ସଂକ୍ରମିତ ହୋଇ ସବୁଦିନ ପାଇଁ ଫଟୋ ଫ୍ରେମରେ ରହିବା ତାହା ବିଚାର କରିବାର ସମୟ ଆସିଛି ।