ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ସ୍ନାନମଣ୍ଡପରେ ସ୍ନାନ ସାରି ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ ।
ଏବେ ଚେରମୂଳି ପଥି ସେବନ କରି ଆରୋଗ୍ୟ ଲାଭ ପାଇଁ ସେବା ଚାଲିଛି ।
ସେଥିପାଇଁ ଅଣସର ବାସରେ ହେଉଛି ଗୁପ୍ତ ନୀତି ।
ଯଥା ଦେହେ, ତଥା ଦେବେ । ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ପ୍ରାଣପିଣ୍ଡ । ସେ ଓଡ଼ିଆ ଜାତିର ସର୍ବମାନ୍ୟ ନେତା । ତାଙ୍କଠାରେ ମାନବତ୍ୱ ଆରୋପ କରାଯାଇଥିବାରୁ, ସେ ମାନବଙ୍କ ମଧ୍ୟରେ ଶ୍ରେଷ୍ଠ । ତେଣୁ ତାଙ୍କୁ ପୁରୁଷୋତମ ବୋଲି କୁହାଯାଏ । ମାନବ ଜୀବନ ଜନ୍ମ, ଯନ୍ତ୍ରଣା, ରୋଗ ଶୋକ ଏବଂ ମୃତ୍ୟୁ ସହିତ ଜଡ଼ିତ । ଏଣୁ ଶ୍ରୀଜଗନ୍ନାଥ ଯେତେବେଳେ ମାନବ ବୋଲି କଳ୍ପିତ, ତେଣୁ ସେ ଏଥିରୁ ବଂଚିତ ହେବେ କିପରି । ତାଙ୍କୁ ବି ମଣିଷ ପରି ସବୁଦଶା ଭୋଗିବାକୁ ପଡ଼ିବ । ଶରୀରମ୍ ଆଦ୍ୟଂ ଖଳୁ ଧର୍ମ ସାଧନଂ । ସେଥିପାଇଁ ତ ରତ୍ନସିଂହାସନ ଛାଡ଼ି ଅଣସର ଘରେ ରହିଥାନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ପିଣ୍ଡିରେ ଗୁପ୍ତନୀତି କରିଥାନ୍ତି ଦଇତାପତି ।
ଅଣସର ଗୃହ ଏକ ଆବଦ୍ଧ ଗୃହ । ଏଠାରେ ମାତ୍ର ଦୀପଟିଏ ଜଳୁଥାଏ । ଶବର ରାଜା ବିଶ୍ୱାବସୁଙ୍କ ବଂଶଧର ବୋଲି କୁହାଯାଉଥିବା ଦଇତା ସେବକମାନେ ଏଠାରେ ସେବାକାର୍ଯ୍ୟ କରିଥାନ୍ତି । ବର୍ଷକ ୧୨ ମାସ ମଧ୍ୟରୁ ପତିମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକମାସ, ଯାହାକି ଆଷାଢ଼ କୃଷ୍ଣ ପ୍ରତିପଦାରୁ ଗୁଣ୍ଡିଚା ପରେ ପୁନଶ୍ଚ ନୀଳାଦ୍ରି ବିଜେ ଯାଏଁ କରାଯାଏ ।
ଅଣସର ଦୁଇ ପ୍ରକାର:
ସାଧାରଣ ଅଣସର ଯାହାକି ପ୍ରତିବର୍ଷ ୧୫ ଦିନ ପାଇଁ ଗୁଣ୍ଡିଚାଯାତ୍ରା ପୂର୍ବରୁ କରାଯାଏ । ଦ୍ୱିତୀୟଟି ମହାଅଣସର ଯାହାକି ପ୍ରତି ନବକଳେବରର ୪୫ ଦିନ ପୂର୍ବରୁ ପାଳିତ ହୁଏ । ପ୍ରଥମଟିରେ ବିଗ୍ରହମାନଙ୍କର ପରିବର୍ତନ ହୁଏ ନାହିଁ; କିନ୍ତୁ ଦ୍ୱିତୀୟଟିରେ ବିଗ୍ରହମାନଙ୍କର ଘଟ ପରିବର୍ତନ ହୁଏ । ସେଥିପାଇଁ ଏହାକୁ ନବକଳେବର କୁହନ୍ତି ।
ଅଣସର ବେଳେ ପଟିଦିଅଁ ପୂଜା:
ସ୍ନାନ ଜନିତ ଜ୍ୱର ଯୋଗୁଁ ଶ୍ରୀବିଗ୍ରହଙ୍କୁ ଅଣସର ଘରେ ପୂର୍ଣ୍ଣ ବିଶ୍ରାମ ଦିଆଯାଏ ଏବଂ ତାଙ୍କର ଚିକିତ୍ସା କରାଯାଏ । ଏହି ବିଶ୍ରାମ ବେଳେ ସମ୍ପୂର୍ଣ୍ଣ ନିରବତା ରକ୍ଷା କରାଯାଇଥାଏ । ଦଇତାପତିମାନେ ଜଗନ୍ନାଥଙ୍କର ଜ୍ୱରକାଳୀନ ସେବା ଏବଂ ଚିକିତ୍ସା କରନ୍ତି । ପଣାପାଣି, ଜଙ୍ଗଲର ଫଳମୂଳ ଓ ଚେରମୂଳି ଇତ୍ୟାଦି ଦିଅନ୍ତି । ଅଣସର ଗୃହରେ ଜିଉମାନେ ପୂଜିତ ହେଲାବେଳେ ବାହାରେ ପଟିଦେବତା, ଦଶ ଅବତାର ଠାକୁରମାନେ ରୀତିନୀତି ଅନୁସାରେ ପୂଜିତ ହୁଅନ୍ତି । ଏହି ଦଶଅବତାର ପଟ୍ଟଚିତ୍ରମାନେ ହେଲେ- ଜଗନ୍ନାଥଙ୍କ ପ୍ରତୀକ-ଚତୁର୍ଭୁଜ ନାରାୟଣ ଏବଂ ତାଙ୍କ ସମ୍ମୁଖରେ କୃଷ୍ଣ ଓ ମଦନମୋହନ; ବଳଭଦ୍ରଙ୍କ ପ୍ରତୀକ ପଟ୍ଟଚିତ୍ର-ବାସୁଦେବ ଏବଂ ତାଙ୍କ ସମ୍ମୁଖରେ ଅବସ୍ଥାପିତ ରାମ, ନୃସିଂହ ଏବଂ ଦୋଳଗୋବିନ୍ଦ; ଦେବୀ ସୁଭଦ୍ରାଙ୍କ ପ୍ରତୀକ-ଭୁବନେଶ୍ୱରୀ ଏବଂ ତାଙ୍କ ସମ୍ମୁଖରେ ମହାଲକ୍ଷ୍ମୀ ଓ ଶ୍ରୀଦେବୀ (ସରସ୍ୱତୀ) । ଅଣସର ଶେଷ ପରେ ଏହି ଦଶାବତାରମାନେ ତିନିରଥରେ ଆଡ଼ପ ମଣ୍ଡପକୁ ଯାତ୍ରା କରନ୍ତି । ଏଣୁ ଗୁଣ୍ଡିଚାର ଅନ୍ୟନାମ ଆଡ଼ପ ଯାତ୍ରା ଏବଂ ଦଶାବତାର ଯାତ୍ରା । ଅଣସର ବେଳେ ଜିଉମାନେ ଦର୍ଶନ ଦେଇ ପାରୁନଥିବା ହେତୁ ଭକ୍ତମାନେ ବାହାରେ ଏହି ପଟିଦେବତାମାନଙ୍କୁ ହିଁ ଦର୍ଶନ କରିଥାଆନ୍ତି ।
ଅଣସର ନୀତି:
ଅଣସର ଘରେ ୧୫ ଦିନ କାଳ ପର୍ଯ୍ୟନ୍ତ ବିଭିନ୍ନ କର୍ମ କରାଯାଇଥାଏ । ଏଗୁଡ଼ିକ ମଧ୍ୟରେ ରହିଛି କରାଳକର୍ମ (ଠାକୁରମାନଙ୍କର ମରାମତି ଏବଂ ଅଙ୍ଗଫିଟା) । ଏହା ଆଷାଢ଼ ପ୍ରତିପଦରୁ ଚତୁର୍ଥୀଯାଏଁ ଚାଲେ । ଏହି କର୍ମରେ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ବୋଲି ଦର୍ଶନ ନିଷେଧ । ଏହାକୁ ଗୁପ୍ତ ନୀତି ବା ସେବା କୁହାଯାଏ ।
ଏଥିସହ ଫୁଲୁରି ତେଲ ଲାଗି ସେବା, ପଟ୍ଟବନ୍ଧନ ବା ଶ୍ରୀ କପଡା ଉତ୍ସବ, ମସୃଣ ଲେପନ, ଚକାବିଜେ, ଚନ୍ଦନ ଲାଗି, ଓଷଲାଗି, ଘଣା ଲାଗି, ବନକ ଲାଗି, ଚକା ଅପସର ନୀତି କରାଯାଏ । ଚକା ଅପସର ହିଁ ଅଣସରର ଶେଷ ଦିବସ । ଶେଷରେ ଉଭା ବା ଆଷାଢ଼ ଅମାବାସ୍ୟାରେ ଠାକୁରଙ୍କ ନବଯୌବନ ଦର୍ଶନ କରାଯାଏ । ଏହା ପରଦିନ ଜିଉମାନେ ଗୁଣ୍ଡିଚା ବିଜେ କରନ୍ତି ।
କିପରି ହୁଏ ଫୁଲୁରି ତେଲ:
ଅଣସର ନୀତିରେ ଫୁଲୁରି ତେଲର ବେଶ୍ ଭୂମିକା ରହିଛି । ବଡ଼ଓଡ଼ିଆ ମଠର ମହନ୍ତ ଓ ସାଧୁମାନେ ଏହି ତେଲ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ତେଲର ବିଶେଷତ୍ୱ ହେଉଛି ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚେରମୂଳି ତଥା ଆୟୁର୍ବେଦୀୟ ଜଡ଼ିବୁଟି ମିଶି ଏହାକୁ ପ୍ରସ୍ତୁତ କରାଯାଏ । ଘଣାପେଡ଼ା ଖାଂଟି ରାଶିତେଲରେ ବିଭିନ୍ନ ଜଡିବୁଟି ମିଶାଇ ମଠ ପରିସରରେ ପାଖାପାଖି ଏକ ବର୍ଷ ଧରି ସ୍ୱତନ୍ତ୍ର ଧରଣର ମାଟିପାତ୍ରରେ ମାଟି ତଳେ ପୋତି ରଖାଯାଇଥାଏ । ଅଣସର ନୀତି ଆରମ୍ଭ ହେବା ପରେ ସେହି ପାତ୍ରକୁ ମାଟି ତଳୁ କଢ଼ାଯାଇଥାଏ । ଶ୍ରୀମନ୍ଦିରକୁ ବିଜେ ପରେ ଏଥିରେ ଦଇତାପତିମାନେ ଚୂଆ, କର୍ପୁର, ଝୁଣା ମିଶାଇ ବିଶୋଧନ କରିଥାନ୍ତି । ଏହି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଜ୍ୱୀ ମଜରା ଉପଶମ କରିବାରେ ବିଶେଷ ସହାୟକ ହୋଇଥାଏ ।
ଶ୍ରୀଜଗନ୍ନାଥ ସଂସ୍କୃତିରେ ଆର୍ଯ୍ୟ ଓ ଅନାର୍ଯ୍ୟର ମହାମିଳନ:
ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟକାରୀ ଠାକୁର । ସେ ଜାତି ଓ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ । ତାଙ୍କ ପାଖରେ ଛୁଆଁ ଅଛୁଆଁ, ଉଚ୍ଚନୀଚର କୌଣସି ଭେଦଭାବ ନାହିଁ । ବ୍ରାହ୍ମଣ ଠାରୁ ଶବର ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଭକ୍ତ, ସେବାକାରୀ । ସେ ଆର୍ଯ୍ୟର ଦେବତା ଏବଂ ଅନାର୍ଯ୍ୟର ମଧ୍ୟ । ଏଣୁ ଏହି ଅଣସର ସେବାକାର୍ଯ୍ୟରେ ଦଇତାପତିମାନଙ୍କର ଯେଉଁ ଅଧିକାର ଥାଏ, ଏହା ଆର୍ଯ୍ୟ ଅନାର୍ଯ୍ୟର ସଂସ୍କୃତିର ମହାମିଳନ ପ୍ରତୀକ ।